ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!

ସମ୍ପତ୍ତି ଲୋଭରେ ଛୋଟ ଶିଶୁପୁତ୍ରକୁ ବିଷ ଖୁଆଇ ମାରିବାକୁ ଉଦ୍ୟମ କରାଯାଇଛି । କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ଶିଶୁ ହେଲେ ଏହି ଗ୍ରାମର ଅଜୟ ମଲ୍ଲିକଙ୍କ ପୁଅ ଦିବ୍ୟ ରଞ୍ଜନ ମଲ୍ଲିକ (ସାଢ଼େ ୫ ବର୍ଷ)। ଏବେ ସେ ଶିଶୁ ଭବନର ଆଇସିୟୁରେ ଚିକିତ୍ସାଧୀନ ଥିଲାବେଳେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଏହାକୁ ଭିତ୍ତିକରି ପୋଲିସ ମାମଲା (ନଂ.୩୩୫/୨୬) ରୁଜୁ କରି ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ମେ’୨୨ରେ ଦିବ୍ୟ ରଞ୍ଜନଙ୍କୁ ପଡ଼ିଶାଘରର ଲୋକେ ମିଠା ଖୁଆଇଥିଲେ। ଏହା ପରେ ସେ ଆସି ଘରେ ନୀଳ ବାନ୍ତି ଓ ଝାଡ଼ା କରିଥିଲେ । ଏନେଇ ପରିବାର ସଦସ୍ୟ ତାଙ୍କୁ ନେଇ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ୨୩ ତାରିଖରେ ଦିବ୍ୟ ରଞ୍ଜନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିବ୍ୟରଞ୍ଜନଙ୍କୁ ବିଷ ଦିଆଯାଇଥିବା ଜଣାପଡ଼ିଥିଲା। ପୂର୍ବରୁ ମଧ୍ୟ ଅନେକ ଥର ସମ୍ପତ୍ତି ପାଇଁ ଅଜୟଙ୍କ ଉପରେ ଆକ୍ରମଣ ହୋଇଥିବାରୁ ଏବେ ବିଷ ଦିଆଯାଇ ପୁଅକୁ ମାରିବା ପାଇଁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଜୟ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!