ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀଦାସପୁର ଗ୍ରାମ ପଞ୍ଚାୟତର କ୍ଷେମପୁର ଗ୍ରାମରେ ପ୍ରାୟ ୩୦୦ ବର୍ଷ ପୁରୁଣା ରାଧାକାନ୍ତ ଜୀଓ କୁଳଦେବତାଙ୍କ ପୂରାତନ ମନ୍ଦିରର ନବୀକରଣ କାମ ସମାପ୍ତ ହେବା ପରେ ମନ୍ଦିର ପ୍ରବେଶ ଓ ପୂର୍ଣ୍ଣ ପ୍ରତିଷ୍ଠା ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଛି। ସମାଜସେବୀ ମାଧବ ଚରଣ ପୁହାଣଙ୍କ ପ୍ରୟାସରେ ଏହି ଜରାଜୀର୍ଣ୍ଣ ମନ୍ଦିରକୁ ନବୀକରଣ କରାଯାଇଥିବା ବେଳେ ଏହି ଅବସରରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ କାର୍ଯକ୍ରମ ଆୟୋଜିତ ହୋଇଥିଲା।ମାନବ ସେବା ହିଁ ମାଧବ ସେବା ମନ୍ତ୍ରକୁ ଆପଣାଇ ସମାଜସେବୀ ମାଧବ ଚରଣ ପୁହାଣ ଲୋକମାନଙ୍କ ସେବାରେ ସଦା ସଚେତନ ରହୁଛନ୍ତି। ଏକଦିନ ମାମୁଘରକୁ ଯାଉଥିବା ସମୟରେ ସେ କ୍ଷେମପୁର ଗ୍ରାମରେ ରାଧାକାନ୍ତ ଜୀଓ କୁଳଦେବତାଙ୍କ ପ୍ରାୟ ୩୦୦ ବର୍ଷ ପୁରୁଣା ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ଦେଖିଥିଲେ। ପରେ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରି ମନ୍ଦିରଟିର ନବୀକରଣ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ତାଙ୍କ ପ୍ରୟାସରେ ପୂରାତନ ମନ୍ଦିରଟିର ନବୀକରଣ କାମ ସମ୍ପୂର୍ଣ୍ଣ ହୋଇଥିଲା।ନବୀକରଣ ପରେ ଆଜି ମନ୍ଦିର ପ୍ରବେଶ ଓ ପୂର୍ଣ୍ଣ ପ୍ରତିଷ୍ଠା ଉତ୍ସବ ଅବସରରେ ଘଟସ୍ଥାପନ, ମନ୍ଦିର ପରିକ୍ରମା ଓ ପୂଜାର୍ଚ୍ଚନା ଭଳି ବିଭିନ୍ନ ଧାର୍ମିକ କାର୍ୟକ୍ରମ ଆୟୋଜିତ ହୋଇଥିଲାଏହି ଅବସରରେ ଆସିଥିବା ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଏହି କାର୍ୟକ୍ରମରେ ମନ୍ଦିର ନବୀକରଣକାରୀ ଶ୍ରୀଯୁକ୍ତ ମାଧବ ଚରଣ ପୁହାଣଙ୍କ ସହ ଶରତ କୁମାର ଦାସ, ଧରଣୀଧର ଦାସ, ଉମାକାନ୍ତ ଦାସ, ଇଶ୍ୱର ଚନ୍ଦ୍ର ଦାସ, ବୈଧର ବିଶ୍ୱାଳ, ପର୍ଶୁରାମ ଦାସ, ହେମାନ୍ତ ଦାସ, ମନୁଆ ଦାସ, ରମାକାନ୍ତ ଦାସ ଓ ଦାସ ପରିବାର ସହ କ୍ଷେମପୁର ଗ୍ରାମବାସୀ ମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।
