ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ, ହୋର୍ଡିଂ ଖସି ପଡ଼ି ଦୁଇ ମୃତ |

ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ ରଚିଛି। ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ବର୍ଷା ପବନ ଯୋଗୁ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ପବନ ବୋହିବା ଯୋଗୁ ଖଣ୍ଡଗିରି ଥାନା ଆଇଗିଣିଆ ଛକ ଦୁର୍ଗା ମଣ୍ଡପ ନିକଟରେ ଏକ ବିଜ୍ଞାପନ ହୋଡିଂ ପଡି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସମେତ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଆସ୍କାର ଟୁନା ଗୌଡ(୩୭) ଓ ଡୁମଡୁମା ଅଞ୍ଚଳର ସଚ୍ଚିତାନନ୍ଦ ପ୍ରଧାନ(୧୯) ଗୁରୁତର ଜଣକ ହେଲେ ଡୁମୁଡୁମା ଅଞ୍ଚଳର ମୌସୁମୀ ପ୍ରିୟଦର୍ଶିନୀ ନାୟକ। ମୌସୁମୀ ଜଣେ ଅଧ୍ୟାପିକା ବୋଲି ଜଣାପଡିଛି। ଅନ୍ୟ ଜଣେ ଆହତଙ୍କ ପରିଚୟ ଜଣାପଡିନାହିଁ। ହୋଡିଂ ଭାଙ୍ଗିବା ଯୋଗୁ ୪/୫ ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି।

ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଛି। ହୋଡିଂ ଭୁଷୁଡିବା ବେଳେ ସେଠାରେ ଥିବା ଲୋକ ଭୟଭୀତ ହୋଇ ଏଣେତେଣେ ଦୌଡିଥିଲେ।କେତେକ ସ୍ଥାନରେ ତାର ଛିଣ୍ଡି ବିଦ୍ୟୁତ ସେବା ବ୍ୟାଘାତ ଘଟିଛି। ରାତି ସୁଧା ଉପକଣ୍ଠ ତମାଣ୍ଡୋ, କଳିଙ୍ଗନଗର, ଆଇଗିଣିଆ ଭରତପୁର ଆଦି କେତେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ହୋଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!