ରାସ୍ତା ସାଜିଛି ମରଣଯନ୍ତା, ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ , ଘରେ କଲେ ପ୍ରସବ,୨କିମି ଖଟିଆରେ ବୁହା ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି |

ରାସ୍ତା ହେଲା କାଳ । ଗାଁରେ ପହଞ୍ଚି ପାରିଲାନି ଏମ୍ବୁଲାନ୍ସ । ଶେଷରେ ପ୍ରସବ ବେଦନା ସହ୍ୟ କରି ମହିଳା ଜଣକ ଘରେ କଲେ ପ୍ରସବ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସଦରମହକୁମା ଠାରୁ ମାତ୍ର ପାଞ୍ଚ କିଲୋ ମିଟର ଦୂର ହୁଏରି ଗାଁରେ। ଗାଁରେ ପାଖା ପାଖି ୩୦ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୧୨୦ରୁ ଉର୍ଦ୍ଧ୍ବ। ଏଠାକାର ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ପାହାଡ଼ିଆ ପଥୁରିଆ ଖାଲ ଖମା ରାସ୍ତା ଗାଁକୁ ଏକ ମାତ୍ର ସାହା ଭରଷା । ମୋହନା ବ୍ଲକ ଠାରୁ ଗାଣ୍ଡାପଦର ଗାଁ ପର୍ଯ୍ୟନ୍ତ ଗାଡ଼ି ଯାତାୟାତ କରୁଥିବା ବେଳେ ଗାଣ୍ଡାପଦର ଠାରୁ ହୁଏରୀ ଯିବାକୁ ହେଲେ ଘାଟି ରାସ୍ତା ହୋଇଥିବାରୁ ଗାଡ଼ି ଯିବା ଅସମ୍ଭବ। ଯାହାକୁ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଗାଁର ମିଟୁ ମଲ୍ଲିକଙ୍କ ସ୍ତ୍ରୀ ଚନ୍ଦ୍ରିକା ମଲ୍ଲିକ(୨୪)ଙ୍କ ପ୍ରସବ ବେଦନା ଅସହ୍ୟ ହେବାରୁ ପରିବାର ଲୋକେ ୧୦୮କୁ ଫୋନ୍ କରିଥଲେ। ହେଲେ ରାସ୍ତା ଖରାପ ଥିବାରୁ ଗାଁକୁ ଯାଇ ପାରିନଥିଲା ୧୦୮। ଶେଷରେ ବିଳମ୍ବିତ ରାତି ପ୍ରାୟ ୨ଟାରେ ନିଜ ଘରେ ଚନ୍ଦ୍ରିକା ପ୍ରସବ କରିଥିଲେ ଏକ ଶିଶୁ କନ୍ୟା। ଆଜି ଉଭୟ ମା ଓ ଶିଶୁଙ୍କୁ ଦୁଇ କିଲୋମିଟର ଖଟିଆରେ ଭାର କରି ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଗାଁଲୋକେ । ମା ଓ ଶିଶୁକନ୍ୟା ସୁସ୍ଥ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରାମକୃଷ୍ଣ ପାତ୍ର କହିଛନ୍ତି |

Leave a Reply

Your email address will not be published. Required fields are marked *

error: Content is protected !!